ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ
ଭୁବନେଶ୍ବର: ଆସାମ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୌହାଟୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ପ୍ରଦେଶ ଅଧ୍ୟକ୍ଷ ଦିଲୀପ ସୈକିଆଙ୍କ ଉପସ୍ଥିତିରେ ଏହି ପୁସ୍ତିକାର ଉନ୍ମୋଚନ କରିଛନ୍ତି । 'ସୁରକ୍ଷିତ ଆସାମ, ବିକଶିତ ଆସାମ'ର ଲକ୍ଷ୍ୟ ନେଇ ଦଳ ଏଥିରେ ଅନେକ ବଡ଼ ଘୋଷଣା କରିଛି।
ଅର୍ଥନୈତିକ ଅଭିବୃଦ୍ଧି ଓ ପୁଞ୍ଜି ନିବେଶ
ବିଜେପି ପୁଣି ଥରେ କ୍ଷମତାକୁ ଆସିଲେ ରାଜ୍ୟରେ ୫ ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ନିର୍ମଳା ସୀତାରମଣ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ଆସାମର ଅର୍ଥନୀତିରେ ବହୁତ ଉନ୍ନତି ହୋଇଛି। ରାଜ୍ୟର ଜିଡିପି ପ୍ରାୟ ୩ ଗୁଣ ବୃଦ୍ଧି ପାଇଥିବା ବେଳେ ମୁଣ୍ଡପିଛା ଆୟ ୨୦୨୦-୨୧ର ୧.୦୩ ଲକ୍ଷ ଟଙ୍କାରୁ ବଢ଼ି ୨୦୨୪-୨୫ରେ ୧.୫୯ ଲକ୍ଷ ଟଙ୍କାରେ ପହଞ୍ଚିଛି।
ଜମି ଜିହାଦ ଓ ଅବୈଧ କବ୍ଜା ଉପରେ ରୋକ
ଏହି ସଂକଳ୍ପ ପତ୍ରରେ 'ଜମି ଜିହାଦ' ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ବିଜେପି। ରାଜ୍ୟରେ ଭୂମି ସହ ଜଡ଼ିତ ଅବୈଧ କବ୍ଜା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଳ କହିଛି। ଏହା ସହ 'ଲଭ୍ ଜିହାଦ' ବିରୋଧରେ ମଧ୍ୟ ଦୃଢ଼ ପଦକ୍ଷେପ ନେବାକୁ ଆଶ୍ୱାସନା ଦିଆଯାଇଛି।
ଯୁବବର୍ଗଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା
ଆସନ୍ତା ୫ ବର୍ଷରେ ୨ ଲକ୍ଷ ସରକାରୀ ନିଯୁକ୍ତି ପ୍ରଦାନ କରାଯିବ।
'ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ମେଡିକାଲ କଲେଜ' ଯୋଜନା ଅଧୀନରେ ପ୍ରତି ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ, ଗୋଟିଏ ୟୁନିଭରସିଟି ଏବଂ ଗୋଟିଏ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେବ।
ବିଶ୍ୱସ୍ତରୀୟ ଇକୋସିଷ୍ଟମ ପ୍ରସ୍ତୁତ କରି ବାହାରେ ଥିବା ଅସମୀୟା ପ୍ରତିଭାଙ୍କୁ ରାଜ୍ୟକୁ ଫେରାଇ ଅଣାଯିବ।
ଭିତ୍ତିଭୂମି ଓ ବନ୍ୟା ନିୟନ୍ତ୍ରଣ
ଆସାମକୁ ବନ୍ୟାମୁକ୍ତ କରିବା ପାଇଁ ସରକାର ଗଠନର ପ୍ରଥମ ଦୁଇ ବର୍ଷ ମଧ୍ୟରେ ୧୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖାଯାଇଛି। ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣାଧୀନ ଥିବା ୫ଟି ବ୍ରିଜ୍କୁ ତ୍ୱରାନ୍ୱିତ କରାଯିବ।
ସାମାଜିକ ଓ ଆଇନଗତ ସଂସ୍କାର
ବିଜେପି ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି, ତେବେ ଏଥିରୁ ଷଷ୍ଠ ଅନୁସୂଚୀ ଏବଂ ଅନୁସୂଚିତ ଜନଜାତି ଅଞ୍ଚଳକୁ ବାଦ୍ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, ଏହି ସଂକଳ୍ପ ପତ୍ର ଆସାମର ଜନତାଙ୍କ ପ୍ରାୟ ୨.୪୫ ଲକ୍ଷ ପରାମର୍ଶ ଉପରେ ଆଧାରିତ।
ସୂଚନାଯୋଗ୍ୟ ଯେ, ଆସାମର ୧୨୬ଟି ବିଧାନସଭା ଆସନ ପାଇଁ ଆସନ୍ତା ଏପ୍ରିଲ ୯ ତାରିଖରେ ମତଦାନ ହେବ ଏବଂ ମଇ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।